Lakshman Kumar Sahoo
କବିତା ତ କେତେ କଥା କହେ । କୁହାଯାଏ, କବିତା ଗୋଟିଏ ବିଶାଳ କାନଭାସ୍ । ଅଳ୍ପରେ ଅନେକ କଥା କହିପାରେ କବିତା । କବିତା କଥା ସତରେ ନିଆରା । ଜୀବନ ଓ ଜଗତକୁ ନେଇ ମୋର ଅନୁଭବକୁ କବିତାରେ କବିତାରେ କହିବାର ପ୍ରୟାସ କରିଛି । କବିତା ମତେ ମୁଗ୍ଧ କରେ, ମୋହିତ କରେ । କବିତା ମତେ ସ୍ୱପ୍ନାବିଷ୍ଟ କରେ । ସ୍ୱପ୍ନରୁ ସତ୍ୟ, ସତ୍ୟରୁ ସ୍ୱପ୍ନ ଏମିତି ଘୂରିବୁଲେ ମୋ’ର କବିତାମାନ । କେତେବେଳେ ଫୁଲ, କେତେବେଳେ ଫଗୁଣ, କେତେବେଳେ ସାଙ୍ଗସାଥୀ ତ କେତେବେଳେ ପାହାନ୍ତା ରାତି କେତେକଥା, କେତେବ୍ୟଥା - ଏସବୁକୁ ନେଇ କବିତା । କବିତାରେ କାହାକୁ ଥାଏ ଅପେକ୍ଷା ପୁଣି ତହିଁରେ ଥାଏ କାହାର ସ୍ୱପ୍ନାବିଳ ସତ୍ତା । କବିତାକୁ ଭଲପାଉଥିବା କବିଟିଏ ମୁଁ । ବିବିଧତା ମୋ କବିତାର ମୂଳ କଥା । କିଛି ପରିବର୍ତ୍ତନ, କିଛି ନୂତନତା, କିଛି ଅମଡ଼ାବାଟକୁ ଚଲାପଥ କରିବାର କଥାକୁ ନେଇ ମୋ କବିତା । 'ଚଢ଼େଇ’ରୁ ଆରମ୍ଭ ହୋଇ 'ସାଙ୍ଗ’ରେ ସାରିଥିବା ଏ କବିତା ସଂକଳନରେ ସମୟ, ରାସ୍ତା, ଜୀବନ, ଯନ୍ତ୍ରଣା, ପ୍ରେମ, ବିଶ୍ୱାସ ଆଦି ବିବିଧ ବିଷୟକୁ କବିତାରେ କହିବାର ପ୍ରୟାସ କରିଛି । ଏହି କଥା କହିବାବେଳେ ମନେପଡ଼ିଯାଇଛି - ଗାଁ ନଈତୁଠ କଥା, ଚିଠିର ବାସ୍ନା, ସ୍ୱପ୍ନର ମାଦକତା, ସଞ୍ଜବେଳ, ଅଦିନ ବର୍ଷା, ପିଲାଦିନ ଏମିତି କେତେକେତେ କଥା ମତେ ବିଭୋର କରିଛି । କର୍ମଜଞ୍ଜାଳରୁ ସମୟ ପାଇଲେ ମୁଁ କବି ହେଇଯାଏ । ଭୁଲିଯାଏ ଆଉ ସବୁ ଯେତେଅଛି ଜଞ୍ଜାଳ ଯନ୍ତ୍ରଣା । ମୁଁ, କଲମକୁ ସାଥୀକରି, ନିଜ ଡାଏରୀ ପୃଷ୍ଠାରେ କବିତାକୁ ନେଇ ମନକଥା ସବୁ ଲେଖିଦିଏ । ସେସବୁକୁ ସଜାଡ଼ି ଏକାଠି କରି ଆଜି ଏଇ କବିତା ସଂକଳନ । ଭାବ ଓ ଭାଷାକୁ ଭଲଭାବେ ମାପିଚୁପି ବ୍ୟବହାର କରିବାର ଚେଷ୍ଟା କରିଛି । ମୁକ୍ତ ବିହଙ୍ଗ ଭଳି ମୁକୁଳିଯାଏ । ଖୋଲା ଆକାଶ ତଳେ ଉଡ଼ି ଉଡ଼ି ଯାହା ଦେଖୁଛି ତା’ ଲେଖୁଛି । ଏସବୁ କବିତା ମୋ ଅନୁଭବର କଥା । ଆଶାକରେ ଏ କବିତାସମୂହ ମୋ ପ୍ରିୟ ପାଠକ ପାଠିକାଙ୍କ ହୃଦୟକୁ ସ୍ପର୍ଶ କରିବ ।ଲକ୍ଷ୍ମଣ କୁମାର ସାହୁ